Unknown

 

 

 

 

 

 

 

 

 

ଗପ ଅଗପ

ଚିତ୍ତରଞ୍ଜନ ଦାସ

 

ବଲାଇର ଆତ୍ମକଥା

 

Image

 

ଅନୁଗୁଳ ହାଟରେ ମୋତେ ଆପଣ ନିଶ୍ଚୟ ଅନେକ ଥର ଦେଖିଥିବେ । ହାଟର ଭିଡ଼ ଭିତରୁ ମୋତେ ଖୋଜି ବାହାର କରିବାକୁ ଆପଣଙ୍କୁ କଦାପି ଅଧିକ ସମୟ ଲାଗି ନ ଥିବ । ମୋ’ର ବେଶରୁ ମଧ୍ୟ ଆପଣ ମୋତେ ଅତି ସହଜରେ ଚିହ୍ନିପାରିବେ । ସାଧାରଣତଃ ମୁଁ ଖଣ୍ଡେ ମଇଳା ଅଧାପ୍ୟାଣ୍ଟ ପିନ୍ଧିଥିବି, ମୋର ଦେହରେ ଖଣ୍ଡେ ମଇଳା ଚିରା ଗେଞ୍ଜି ରହିଥିବ । ଗୋଟିଏ ଟିଣବାକ୍ସ କାନ୍ଧରେ ପକାଇ ମୁଁ ଚେନାଚୂର ବିକ୍ରୟ କରି ବୁଲୁଥିବି । ମୋ’ ହାତରେ ଗୋଟିଏ ପିତଳ ଘଣ୍ଟି ଠନ୍ ଠନ୍ ହୋଇ ବାଜୁଥିବ । ତେଣୁ ରାସ୍ତା ଉପରେ ଠିଆହୋଇ ହାଟ ଭିତରକୁ ଅନାଇଲେ ମୋର ଘଣ୍ଟି ଶବ୍ଦରୁ ଆପଣ ମୋତେ ଅବଶ୍ୟ ଠଉରାଇ ପାରିବେ ।

 

ଏହି ଘଣ୍ଟି ଶବ୍ଦଟା ହେଉଛି ମୋର ସର୍ବପ୍ରଧାନ ଆକର୍ଷକ । ହାଟ ଭିତରେ ଏହି ଘଣ୍ଟିଟାକୁ ବଜାଇ ବଜାଇ ଯେତେବେଳେ ମୁଁ ବାବୁମାନଙ୍କ ପାଖରେ ଯାଇ ଛିଡ଼ା ହୋଇଯାଏ, ସେତେବେଳେ ଅତି ସରାଗରେ ବାବୁମାନେ ପଇସା ବାହାର କରି ମୋ’ ଠାରୁ ଚେନାଚୂର କିଣି ଖାଆନ୍ତି । ମୋର ଘଣ୍ଟିଶବ୍ଦ ଶୁଣି ଅତି କୃପଣର ମଧ୍ୟ ହୃଦୟ ତରଳିଯାଏ । ତା’ ପରେ ପିଲାମାନଙ୍କର ଆନନ୍ଦ ଆଉଦେଖିବ କିଏ ? କାହା ପାଖରେ ଅଣାଏ ଥାଏ, କାହା ପାଖରେ ଦୁଇଅଣା ଥାଏ । ସମସ୍ତେ ଆସି ମୋ ଟିଣ ଚାରିପାଖରେ ରୁଣ୍ଡ ହୋଇଯାଆନ୍ତି । ଦଶ ପଇସା ନେଇ ସେମାନଙ୍କୁ ମୁଁ ବସ୍ତାଏ ବସ୍ତାଏ ଚେନାଚୂର ଧରାଇଦିଏ । ଚକ୍‍ଚକ୍ କାଗଜକୁ କେତେ ଯତ୍ନରେ ବସ୍ତାଟିଏ ପରି କରି ସେହିଥିରେ ମୁଁ ଚେନାଚୂର ବାନ୍ଧି ରଖିଥାଏ । ଆପଣ ଯେତେ ରଙ୍ଗର କାଗଜ ଖୋଜିବେ ମୋ ପାଖରେ ସେତେ ରଙ୍ଗର କାଗଜ ମିଳିବ ।

 

ଧରାପରା ହୋଇ ପିଲାମାନେ ଚେନାଚୂର ଖାଇବାରେ ଲାଗନ୍ତି । ସେମାନଙ୍କର ଆନନ୍ଦ ଦେଖୁ ଦେଖୁ ମୁଁ ଭାବେ, ଖେଳଛୁଟି ଏବଂ ମୋର ଚେନାଚୂର ପାଇଁ ଯେପରି ସେମାନେ ଦୀର୍ଘ ତିନିଘଣ୍ଟାକାଳ ଅପେକ୍ଷା କରି ରହିଥିଲେ । ସେମାନଙ୍କର ଦେହଟା ସିନା ସ୍କୁଲ ଘରଭିତରେ ଥିଲା, କିନ୍ତୁ ମନଟା ଉଡ଼ି ବୁଲୁଥିଲା ଖେଳଛୁଟି ଆଉ ଚେନାଚୂରର ଚିନ୍ତା ଭିତରେ । ମନେ ମନେ ମୁଁ ପାଠପଢ଼ା ଆଉ ଖେଳଛୁଟି ଗୋଟିଏ ନିକିତିରେ ଓଜନ କରିବସେ । ମୋର ଚେନାଚୂରକୁ ମଧ୍ୟ ମୁଁ ଖେଳଛୁଟି ସହିତ ଏକ ଡାଲାରେ ରଖିଦିଏ । ମୁଁ ଭାବୁଥାଏ, ପିଲାମାନେ ମୁଠା ମୁଠା ପଇସା ଦେଇ ପାଠ ପଢ଼ିବାକୁ ଆସୁଛନ୍ତି, କିନ୍ତୁ ମୋର ଚେନାଚୂର ବସ୍ତାର ଦାମ୍ ତ ମୋଟେ ଦଶ ପଇସା । ତେବେ ଏହି ଦଶ ପଇସାର ଆନନ୍ଦ ଏତେ ପଇସାର ପାଠପଢ଼ାର ଆନନ୍ଦକୁ ବଳି ପଡ଼ୁଛି କିପରି ?

 

ଆମ ଘରକଥା ଆପଣଙ୍କୁ ଶୁଣାଇଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ଘରର ବାପା, ମାଆ ଓ ଆମେ ତିନିଜଣ ଭାଇଭଉଣୀ । ବାପା ସବୁବେଳେ କୌଣସି ନା କୌଣସି ରୋଗରେ ପଡ଼ିଥାନ୍ତି । ତାଙ୍କୁ ଆପଣ ଅକର୍ମଣ୍ୟ ବୋଲି କହିପାରନ୍ତି । ବୁଢ଼ା ହେବାର ବୟସ ନ ହୋଇ ଥିଲେ ମଧ୍ୟ ସେ ବୁଢ଼ାଙ୍କ ପରି ଦେଖାଯାନ୍ତି । ଦାରିଦ୍ର୍ୟ ଏହିପରି ଭାବରେ ମଣିଷକୁ ଅକାଳରେ ବୁଢ଼ା କରିଦିଏ । ମୋର ମାଆ ହେଉଛନ୍ତି ଆମର ସବୁଠାରୁ ବଡ଼ ସହାୟ । ତାଙ୍କରି ବରାଦ ଅନୁସାରେ ମୁଁ ଚୁଡ଼ା, ବୁଟ, ଚିନାବାଦାମ ଓ ମଟର କିଣିଆଣେ । ସେ ତାକୁ ଭାଜିଭୁଜି ମସଲା ପକାଇ ଚେନାଚୂର ତିଆରି କରିଦିଅନ୍ତି । ଆମେ ଭାଇଭଉଣୀ କାଗଜ କାଟି ଅଠା ଲଗାଇ ବସ୍ତା ତିଆରି କରୁ । ମାଆଙ୍କର ହାତ ବାଜି ମୋର 'ମହାଚଣ୍ଡୀ' ଚେନାଚୂର ସିନା ଏତେ ସୁଆଦିଆ ଲାଗେ ।

 

ଚେନାଚୂର ବିକିବା ଛଡ଼ା ଆମର ଆଉ କେତୋଟି ବେଉସା ମଧ୍ୟ ରହିଛି ଓ ଗୋଟିଏ ହେଉଛି ଠୁଙ୍ଗା ତିଆରି କରିବା । ମୁଁ ଯାଇ ବାବୁମାନଙ୍କ ଘରୁ ପୁରୁଣା ଖବର କାଗଜ କିଣିଆଣେ । ସ୍କୁଲ ପିଲାମାନଙ୍କଠାରୁ ପୁରୁଣା ବହି ଓ ଖାତା କିଣିଆଣେ । ବାବୁମାନେ ତ ପୁରୁଣା ଖବରକାଗଜକୁ ନଷ୍ଟ କରି ଦେଉଥାନ୍ତେ । ତେଣୁ ଆନନ୍ଦରେ ସେମାନେ ମୋତେ କାଗଜତକ ବିକ୍ରୀ କରିଦିଅନ୍ତି । ପିଲାମାନେ ତ ସେମାଙ୍କର ପୁରୁଣା ଖାତାପତ୍ର ବଦଳ ଦେଇ ମୋ’ଠାରୁ ଚେନାଚୂର ଖାଆନ୍ତି । ସେଥିପାଇଁ ସେମାନଙ୍କୁ କୌଣସି ପଇସା ଦେବାକୁ ପଡ଼େନାହିଁ । ମାଆ କାଗଜଗୁଡ଼ିକୁ ବଡ଼ସାନ କରି କାଟି ଦିଅନ୍ତି । ଆମେ ଭାଇଭଉଣୀ ସମସ୍ତେ ବସି ସେଥିରୁ ବଡ଼ସାନ ଠୁଙ୍ଗା ତିଆରି କରୁ । କିଛିସମୟ ପାଇଁ ଆମର ଛୋଟିଆ ଘରଟି ଠୁଙ୍ଗା ତିଆରି କରିବାର ଗୋଟିଏ ବିରାଟ କାରଖାନା ପରି ଦେଖାଯାଏ ।

Image

 

ଠୁଙ୍ଗା ଗୁଡ଼ିକୁ ନେଇ ମୁଁ ଅନଗୁଳ ବଜାରରେ ଥିବା ବଡ଼ ବଡ଼ ଦୋକାନମାନଙ୍କରେ ଦେଇଆସେ । ସେଥିରୁ ଆମର ବେଶ୍‍ ଲାଭ ହୁଏ । ଖରାଦିନେ ହାଟରେ ମୁଁ ସର୍ବତ ଦୋକାନ ଦିଏ-। କାଚଗିଲାସରେ କେତେରଙ୍ଗର ମିଠା ସର୍ବତ ଦୋକାନ ଦିଏ । ପଚିଶି ପଇସା ଦେଇ କେତେ ଶୋଷିଲା ମଣିଷ ମୋ, ପାଖକୁ ଶାନ୍ତି ପାଇବାକୁ ଆସନ୍ତି । ଦିଆଲି ଉଆଁସ ପୂର୍ବରୁ ମୁଁ ବାଣ ମଧ୍ୟ ବିକ୍ରୀ କରେ । ସେଥିରୁ ମୋର ଦୁଇ ପଇସା ଲାଭ ହୁଏ । ମୁଁ ଅନ୍ୟ ଫନ୍ଦା ଧରିବାବେଳେ ମୋର ସାନଭାଇ ଚେନାଚୂର ବିକ୍ରୀ କରେ । ଘଣ୍ଟି ଠନ୍ ଠନ୍ କରି ଠିକ୍ ମୋ’ରି ପରି ହାଟ ଭିତରେ ବୁଲୁଥାଏ ।

ଏହିପରି ଭାବରେ ଆମର ସଂସାର ଦୁଃଖେସୁଖେ ଚଳିଯାଏ । ପ୍ରତିଦିନ ଯେତିକି ଲାଭ ହୁଏ, ସେଇଥିରୁ ଆମ ପଞ୍ଚା ପ୍ରାଣୀଙ୍କର ପେଟ ପୂରେ । କିନ୍ତୁ ସଞ୍ଚିବାକୁ ଆଉ କିଛି ରହେ ନାହିଁ । ତେଣୁ ମୁଣ୍ଡ ଉପରେ କୌଣସି ଅଧିକ ଖରଚର ବୋଝ ଆସି ପହଞ୍ଚିଲେ ଆମ ଉପରେ ବଜ୍ରପାତ ହେଲାପରି ଲାଗେ । ଗତବର୍ଷ ବାପା ଖୁବ୍ ବେମାର ପଡ଼ିଲେ, ତାଙ୍କର ଦେହ ହାତ ଫୁଲିଗଲା । ପେଟରୁ କାଟି ଆମକୁ ତାଙ୍କର ଔଷଧଖର୍ଚ୍ଚ ତୁଲାଇବାକୁ ପଡ଼ିଲା ।

 

ଆମ ଘର ଓଡ଼ିଶାରେ ନୁହେଁ, ପୂର୍ବବଙ୍ଗରେ । ସେଠାରେ ଆମର ଭଲ ଘର ଥିଲା, ଜମିବାଡ଼ି ଥିଲା, ଭାଇବନ୍ଧୁ ଓ ଆତ୍ମୀୟସ୍ଵଜନ ଥିଲେ । ଗଙ୍ଗାନଦୀର ପଠାରେ ସୁନାଫସଲ ଫଳୁଥିଲା । ସେଠାରୁ ଘରଛାଡ଼ି ଅସିଲାବେଳକୁ ମୋର ଭଲକରି ହେତୁ ହୋଇ ନଥିଲା । ମୋ'ର ସାନ ଭଉଣୀଟି ମାଆକୋଡ଼ରେ ଥିଲା । ଏଠାରେ ଆସି ପହଞ୍ଚିବା ପୂର୍ବରୁ ବାଟରେ ଆମେ କେତେ କଷ୍ଟ ସହିଛୁ, କେତେ ଉପବାସ ରହିଛୁ, କେତେଥର ଦସ୍ୟୁଙ୍କର କବଳରେ ପଡ଼ିଛୁ । ସେହିସବୁ କାହାଣୀ ମୋର ଭଲକରି ମନେ ନାହିଁ । ଆମର ପୁରୁଣା ଘରେ ରହିଥିଲେ ଏହି ସ୍ଥାନର ପିଲାଙ୍କ ପରି ମୁଁ କ'ଣ ପାଠ ପଢ଼ୁ ନ ଥାନ୍ତି । କିନ୍ତୁ ବର୍ତ୍ତମାନ ମୁଁ ପାଠ ପଢ଼ିଲେ ଆମର ଘର ଚଳିବ କିପରି-? ଯେତେବେଳେ ପେଟ ମଣିଷକୁ ପାଠ ପଢ଼ାଏ, ସେତେବେଳେ ପୋଥିପାଠ ପଢ଼ିବାକୁ ଆଉ ବେଳ ନ ଥାଏ । ବାବୁ, ଆପଣଙ୍କୁ କେତେବସ୍ତା ଚେନାଚୂର ଦେବି, କହନ୍ତୁ ।

Image

 

ଉଧାରଶୁଝା

 

Image

 

ଫ୍ରାନସ ଦେଶର ରାଜଧାନୀ ପାରିସ୍ । ରାସ୍ତାରେ କେତେ ମଣିଷଙ୍କର ଯାତାୟାତ ଲାଗିରହିଛି । ଦୁଇକଡ଼ରେ ସୁନ୍ଦର ବଡ଼ ବଡ଼ କୋଠାମାନ । ଫୁଲବଗିଚାରେ କେତେ କିସମର ଫୁଲ ଫୁଟିଛି ।

 

ସଞ୍ଜ ବୁଡ଼ିଆସୁଛି । ସହରର ଗୋଟିଏ ବଡ଼ ହୋଟେଲରେ ସଞ୍ଜଭିଡ଼ ଲାଗିଗଲାଣି । ଲୋକଙ୍କର ଉଠିବା ବସିବା ଶବ୍ଦରେ ଘରଟାଯାକ ସରଗରମ ହୋଇ ରହିଛି । ଇନ୍ଦ୍ରପୁରୀ ପରି ଚମତ୍କାର ଖାଇବା ଜିନିଷମାନ ସଜାଇ ହୋଇ ଥୁଆ ହୋଇଛି ।

 

ହଠାତ୍‍ ଚଞ୍ଚଳ ଚକିତ ଭାବରେ ଯୁବକ ଜଣେ ହୋଟେଲ ଭିତରକୁ ପଶି ଆସିଲା । ଅନାଇଦେଲେ ବିଦେଶୀ ବୋଲି ଧରାପଡ଼ି ଯାଉଛି । ଛୋଟିଆ ମୁହଁଟି ଉପରେ ଦାଢ଼ି କେରାକ ବଡ଼ ଅବର୍ଜିଆ ଦିଶୁଛି । ଆଖିଦୁଇଟା ମିଟିମିଟି ହୋଇ ଜଳୁଛି । ବାଳ ଗୁଡ଼ାକ ନୁଖୁରା । ବେଶପୋଷାକରେ ବାଗସାଗ ନାହିଁ । ସେସବୁ ଆଡ଼କୁ ଯେପରି ଯୁବକଟିର ଆଦୌ କୌଣସି ଦୃଷ୍ଟି ନାହିଁ ।

 

ଖାଲି ଟେବୁଲଟିଏ ପାଖକୁ ଆସି ସେ ଚଉକି ଉପରେ ବସିପଡ଼ିଲା । ସଙ୍ଗେ ସଙ୍ଗେ ପରଷିବାବାଲା ଆସି ବରାଦ ମୁତାବକ ଖାଇବା ଜିନିଷ ଆଣି ଥାଳିରେ ଅଜାଡ଼ି ଦେଇଗଲା । ପରଷା ଶେଷ ନ ହେଉଣୁ ଯୁବକଟିର ହାତ ଚାଲିଛି–ସତେ ଯେପରି ଭୋକରେ ତା’ର ପେଟ ଜଳୁଥିଲା । ବରାଦ ପରେ ବରାଦ ଦେଇ ସେ ପେଟ ପୂରିବାଯାଏ ଖାଇବାରେ ଲାଗିଥାଏ ।

 

କିନ୍ତୁ ଖାଇଲେ ତ ପୁଣି ପଇସା ମଧ୍ୟ ଦେବାକୁ ପଡ଼ିବ । ବେଳସୁଁ ଯୁବକଟି ପରଷିଲାବାଲାକୁ ଡାକି ଚୁପ୍‍ଚୁପ୍ ସତ କଥାଟି କହିଦେଲା "ବର୍ତ୍ତମାନ ମୋ ପାଖରେ ପଇସାଟିଏ ବି ଦେବାକୁ ନାହିଁ । ରାଜନୀତିରେ ଯୋଗ ଦେଇଥିବାରୁ ସରକାର ମୋତେ ଦେଶରୁ ତଡ଼ି ଦେଇଛନ୍ତି । ଯଦି ତୁମେ ବର୍ତ୍ତମାନ ମୋ ପଇସାଟା ଦେଇଦିଅନ୍ତ, ତେବେ ପରେ ମୁଁ ନିଶ୍ଚୟ ତୁମର ଉଧାର ଶୁଝିଦିଅନ୍ତି !’’

 

ପରଷିଲାବାଲା ଜଳଜଳ କରି ଅନାଇ ରହିଲା । ଧନୀ ସହର ପାରିସ୍‍ରେ ପଇସା ନ ଥାଇ ପୁଣି କିଏ ହୋଟେଲ୍‌ରେ ପଶିବାକୁ ସାହସ କରିବ । ଯାହାହେଉ, ବିଶ୍ୱାସ କରି ସିଏ ଯୁବକଲାଗି ଖର୍ଚ୍ଚଟା ଦେଇଦେଲା । ଯୁବକଟିର ନାମ ହେଉଛି ଲେନିନ୍ । ତା'ର କେତେଦିନ ପରେ ଋଷିଆରେ ବିପ୍ଳବ ହେଲା । ଜାର୍‍ ସରକାର ତଡ଼ା ଖାଇଲେ, ଲେନିନ୍ ଦେଶର ନୂତନ ସଭାପତି ବଛାହେଲେ ।

 

କିନ୍ତୁ ପାରିସ୍‍ ସହରରେ ସେହି ପଇସା ଉଧାର କରିଥିବା କଥା ସେ ଭୁଲି ନ ଥାନ୍ତି । ସଙ୍ଗେ ସଙ୍ଗେ କେତେକ ଉପହାର ସହିତ ଧାର କରିଥିବା ପଇସାତକ ସେ ସେହି ପରଷିବାବାଲାର ଠିକଣାରେ ପଠାଇ ଦେଲେ । କିଛିଦିନ ପରେ ଗୋଟିଏ ଚିଠି ଓ ପଇସା ଫେରି ଆସିଲା । ଚିଠିରେ ଲେଖା ହୋଇଥିଲା "ଦେଶରୁ ତଡ଼ା ଖାଇଥିବା ଜଣେ ଅଭାବଗ୍ରସ୍ତ ଯୁବକକୁ ମୁଁ ପଇସା ଦେଇଥିଲି ।ଏଡ଼େବଡ଼ ଗୋଟାଏ ଦେଶର ସଭାପତିକୁ ଉଧାର ଦେଇଥିଲେ ସିନା ବର୍ତ୍ତମାନ ତାଙ୍କରିଠାରୁ ପରିଶୋଧ ନେଇଥାନ୍ତି ।"

Image

 

ସାରା ପୃଥିବୀର ପିଲାଏ

 

ସାରା ପୃଥିବୀରେ ସବୁ ପିଲାଙ୍କର ସଂଖ୍ୟା ପଚାଶ କୋଟି, ପୃଥିବୀରେ ବର୍ତ୍ତମାନ ମୋଟ ଯେତେ ମଣିଷ ବାସ କରୁଛନ୍ତି, ତାହାର ଚାରିଭାଗରୁ ଭାଗେ । ପଚାଶ କୋଟି ପିଲାଏ ଯଦି କେଉଁଠାରେ ଗୋଟିଏ ସ୍ଥାନରେ ଆସି ଜମା ହୁଅନ୍ତି, ତେବେ ସେଥିଲାଗି କେଡ଼େବଡ଼ ପଡ଼ିଆଟାଏ ଦରକାର ନ ହେବ । ଆମ ଭାରତବର୍ଷ ଗୋଟାକରେ ଯେତେ ମଣିଷ ଅଛନ୍ତି, ପୃଥିବୀରେ ପିଲାଙ୍କର ସଂଖ୍ୟା ସେମାନଙ୍କର ସଂଖ୍ୟାଠାରୁ ଅନେକ ବେଶୀ ।

 

କେତେ ବର୍ଣ୍ଣ ଆଉ କେତେ ଦେଶର ପିଲା ଏ ବିରାଟ ପୃଥିବୀରେ ବାସ କରୁଛନ୍ତି ! କେଉଁଠି ସେମାନଙ୍କର ଦେହର ବର୍ଣ୍ଣ ଗୋରା, କେଉଁଠି କଳା, କେଉଁଠି ଶ୍ୟାମଳ, ଆଉ କେଉଁଠି ହଳଦିଆ ! କେଉଁଠି ସେମାନେ ଲୁଗା ପିନ୍ଧନ୍ତି, କେଉଁଠି ଲୁଙ୍ଗି ଆଉ କେଉଁଠି ପ୍ୟାଣ୍ଟ୍ । କେଉଁଠି ସେମାନେ ଭାତ ଖାଆନ୍ତି, କେଉଁଠି ରୁଟି ଆଉ କେଉଁଠି ଆଳୁ ! କେଉଁଠି ସେମାନେ ନଈ ପହଁରନ୍ତି, କେଉଁଠି ଗହନ ଅରଣ୍ୟ ଭିତରେ ବଡ଼ ବଡ଼ ଗଛ ଚଢ଼ି ଡାଳମାଙ୍କୁଡ଼ି ଖେଳନ୍ତି, କେଉଁଠି ପୁଣି ପିଲାଟି ଦିନରୁ ହାତରେ ତୀର ଧନୁ ଧରି ସେମାନେ ଜନ୍ତୁ ଶିକାର କରି ବାହାରନ୍ତି । ଉତ୍ତର ଅଞ୍ଚଳର ଦେଶମାନଙ୍କରେ ଶୀତଋତୁରେ ବରଫ ପଡ଼େ । ପିଲାମାନେ ବରଫଜୋତା ପିନ୍ଧି ତାହାରି ଉପରେ ଖେଳନ୍ତି । ଗୁଣ୍ଡାଗୁଣ୍ଡା ବରଫକୁ ହାତରେ ବୋଲୁଅ କରି ପରସ୍ପର ଉପରକୁ ପକାନ୍ତି । ପୁଣି କେଉଁଠି ବରଫ ଉପରେ ବରଫ ଲଦି ମଣିଷ ଗଢ଼ନ୍ତି ଓ ଅଙ୍ଗାର ନେଇ ସେଥିରେ ନିଶଦାଢ଼ି ତିଆରି କରିଦିଅନ୍ତି ।

 

Image

 

ଇଉରୋପରେ ପିଲାମାନଙ୍କର ମୁଣ୍ଡର ବାଳ କହରା, ଆଖି ଚିଲା । ସେଠାରେ ଆମଦେଶ ପରି ଏତେ ଟାଣଖରା ପଡ଼େନାହିଁ । ଶୀତଦିନରେ ପ୍ରବଳ ଶୀତ ହୁଏ । ତେଣୁ ପିଲାଟିଦିନରୁ ସେମାନେ ଭଲ କରି ପୋଷାକପତ୍ର ପିନ୍ଧନ୍ତି । ଗୋଡ଼ରେ ମୋଜା ଆଉ ଜୋତା, ହାତରେ ହାତମୋଜା, ଆଉ ମୁଣ୍ଡରେ ଟୋପି ନ ପିନ୍ଧିଲେ ସମସ୍ତେ ତ ନିର୍ବୋଧ ବୋଲି କହିବେ । ତେଣୁ ଆଫ୍ରିକାର ଜଙ୍ଗଲରେ ତ ସୂର୍ଯ୍ୟର ଉତ୍ତାପରେ ମୁଣ୍ଡ ଫାଟିଯାଏ । ସେଠାରେ କୋଟ୍‍କମିଜ ପିନ୍ଧିଲେ ସମସ୍ତେ ତ ନିର୍ବୋଧ ବୋଲି କହିବେ । ତେଣୁ ଆଫ୍ରିକାରେ ପିଲାମାନେ ଖୋଲା ଦେହରେ ବୁଲନ୍ତି । ଯେତେବେଳେ ମନହୁଏ, ସେତେବେଳେ ଯାଇ ନଦୀ ଆକାଶତଳେ ଶୁଅନ୍ତି । ସେମାନଙ୍କର ଦେହକୁ ଖରା ମୁଗୁନିପଥର ପରି କଳା କରିଦେଇଥାଏ ।

 

ଏଡ଼େବଡ଼ ପୃଥିବୀରେ ଭଳିକିଭଳି ପିଲା–ପ୍ରତ୍ୟେକ ଆପଣା ଆପଣାର ଭାଷା କହନ୍ତି, ପ୍ରତ୍ୟେକ ଆପଣା ଦେଶର ପୋଷାକ ପିନ୍ଧନ୍ତି, ପ୍ରତ୍ୟେକ ଅଲଗା ଅଲଗା ପ୍ରକାରର ଖାଦ୍ୟ ଖାଆନ୍ତି-। କିନ୍ତୁ ତଥାପି ସବୁ ପ୍ରଭେଦ ସତ୍ତ୍ୱେ ସେମାନେ ସବୁଠାରେ ସେଇ ପିଲା । ସବୁଠାରେ ସେମାନେ ସକାଳେ ଉଠନ୍ତି, ଦିନଯାକ ପଢ଼ନ୍ତି ଆଉ ଖେଳନ୍ତି, ପୁଣି ରାତିହେଲେ ନିଦରେ ଶୋଇପଡ଼ନ୍ତି । ସବୁଠାରେ ମନ ଖୁସି ଥିଲାବେଳେ ସେମାନେ ହସନ୍ତି, ଦୁଃଖ ବେଳେ କାନ୍ଦନ୍ତି; ଆଦର ପାଇଲେ ବୁଝନ୍ତି, ଅନାଦର ପାଇଲେ ରୁଷନ୍ତି ଆଉ ରାଗନ୍ତି । ମା’ ପାଖରେ ସମସ୍ତେ ଅଝଟ ହୁଅନ୍ତି । ମାଷ୍ଟରଙ୍କ ପାଖରେ ସୁନାପିଲାଙ୍କ ପରି ଶାନ୍ତ ହୋଇଯାଆନ୍ତି । ସବୁଠାରେ ସେମାନେ ଦୁଷ୍ଟ, ପୁଣି ସବୁଠାରେ ସେମାନେ ଶିଷ୍ଟ ।

 

ଏହି ପିଲାମାନେ–ଗୋରା, କଳା, ଶ୍ୟାମଳ ଆଉ ପୀତ ସମସ୍ତେ ଆମ ପୃଥିବୀର ସବୁଠାରୁ ମୂଲ୍ୟବାନ ସମ୍ପଦ । ସେହିମାନେ କାଲି ପୃଥିବୀରେ ମଣିଷ ହେବେ, ପୃଥିବୀକୁ ହସାଇବେ । ସେଥିପାଇଁ ବର୍ତ୍ତମାନ ସମସ୍ତେ ପିଲାମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି । ପୃଥିବୀର ସବୁ ଦେଶର ପିଲାମାନେ ସଫାସୁତୁରା ଖାଇବେ ସଫାସୁତୁରା ପିନ୍ଧିବେ ଆଉ ସଫାସୁତୁରା ଘରେ ରହିବେ, ସମସ୍ତେ ଯାଇ ସ୍କୁଲରେ ପାଠ ପଢ଼ିପାରିବେ, ତେବେଯାଇ ଆମ ସଂସାରଟି ସୁନ୍ଦର ହୋଇପାରିବ । ବର୍ତ୍ତମାନ ସବୁଦେଶରେ ସବୁ ପିଲା ପାଠ ପଢ଼ିବାର ସୁବିଧା ପାଇନାହାନ୍ତି । ସବୁ ପିଲାଏ ପାଠ ପଢ଼ିବା ପାଇଁ ଆମ ପୃଥିବୀରେ ଯଥେଷ୍ଟ ସ୍କୁଲ ନାହିଁ । ପଚାଶ କୋଟି ଭିତରୁ ପଚିଶି କୋଟି ପିଲା ତ ଆଦୌ କୌଣସି ସ୍କୁଲ ନାହିଁ । ଅବଶିଷ୍ଟ ପଚିଶ କୋଟିରୁ କୋଡ଼ିଏ କୋଟି ପିଲା ଗାଁ ଚାଟଶାଳୀରୁ ଉପରକୁ ଯାଇପାରୁ ନାହାନ୍ତି । କେବଳ ପାଞ୍ଚକୋଟି ପିଲା ଯାହା ବଡ଼ବଡ଼ ସ୍କୁଲ ଏବଂ କଲେଜକୁ ଯାଉଛନ୍ତି । ଆମରି ନିଜ ନିଜ ଗାଁଆରେ ଆମେ କେତେଜଣ ସ୍କୁଲକୁ ଆସୁଛୁ ଓ ଆମରି ବୟସର ଆହୁରି କେତେ ପିଲା ମୂର୍ଖ ହୋଇ ବୁଲୁଛନ୍ତି, ତାରି ହିସାବ କଲେ ଆମେ ସେହିକଥା ବୁଝି ପାରିବା ।

 

ଅନେକ ଦେଶରେ ବାପମାଆମାନେ ଏକଥା ବୁଝିଲେଣି । ତେଣୁ ଯେତେ ଟଙ୍କା ଖରଚ ହେଉ ପଛକେ, ଆଗ ସେମାନେ ଦେଶର ସବୁ ପୁଅ ଝିଅଙ୍କ ଲାଗି ପାଠ ପଢ଼ିବାର ବ୍ୟବସ୍ଥା କରୁଛନ୍ତି । ପନ୍ଦର ଷୋଳବର୍ଷଯାଏ ସବୁପିଲା ସ୍କୁଲକୁ ଆସିବାକୁ ବାଧ୍ୟହେବେ, ସେମାନେ ସ୍କୁଲକୁ ନ ଆସିଲେ ବାପାମାଆ ଦଣ୍ଡ ପାଇବେ, ଅନେକ ଦେଶରେ ଏପରି ଆଇନ୍‍ ମଧ୍ୟ ରହିଛି । ପିଲାଙ୍କର ପାଠ ପାଢ଼ିବା ଲାଗି କେତେକ ଦେଶରେ ଅଭାବ ଥିବା ବାପମାଆଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳୁଛି ।

 

ଯେଉଁଘରେ ପିଲାମାନେ ନାରଖାର ହୁଅନ୍ତି, ସେହିଘର କଦାପି ସୁନ୍ଦର ଦେଖାଯିବ ନାହିଁ । ପିଲାଦିନେ କୃଷ୍ଣ ରୁଷିଲେ କି କାନ୍ଦିଲେ ତାଙ୍କର ମାଆ ବାତୁଳ ପରି ହୋଇ ଯାଉଥିଲେ । ଆମ ପୃଥିବୀରୂପକ ବୃହତ୍‍ ପରିବାରର ପଞ୍ଚଶହ କୋଟି ପିଲା ଯେଉଁଦିନ ଖୁସିହୋଇ ପାଠ ପଢ଼ିବେ, ଆଉ ଖୁସି ହୋଇ ବଢ଼ିବେ, ସେଦିନ କେଡ଼େବଡ଼ ଆନନ୍ଦ ନ ହେବ ।

Image

 

ଶକ୍ତିମତୀ ମହିଳା

 

ଆଖି, କାନ, ନାକ ଜିଭ ଓ ଚମକୁ ମନୁଷ୍ୟର ପାଞ୍ଚଗୋଟି ଇନ୍ଦ୍ରିୟ କୁହାଯାଏ । ଏହି ଇନ୍ଦ୍ରିୟ ସାହାଯ୍ୟରେ ମନୁଷ୍ୟ ଜ୍ଞାନଲାଭ କରେ । କିନ୍ତୁ ଅନେକ ବ୍ୟକ୍ତି ଦୁର୍ଭାଗ୍ୟବଶତଃ ଜନ୍ମରୁ ବା ଅନ୍ୟ କୌଣସି କାରଣରୁ ଏହି ଇନ୍ଦ୍ରିୟଗୁଡ଼ିକୁ ହରାଇ ବସନ୍ତି । ଆମ ସଂସାରରେ ଅନ୍ଧ, ବଧିର ଓ ମୂକଙ୍କର ଦୁଃଖ ଆମେ ସମସ୍ତେ ଅନୁମାନ କରିପାରିବା । କିନ୍ତୁ ବାଲ୍ୟକାଳରୁ ତିନୋଟି ଇନ୍ଦ୍ରିୟ ହରାଇ ସୁଦ୍ଧା ଆମେରିକାର ଜଣେ ମହିଳା କିପରି ପୃଥିବୀର ଜଣେ ବିଦୂଷୀ ମହିଳା ରୂପେ ପ୍ରସିଦ୍ଧ ହୋଇଛନ୍ତି, ତାହା ଭାବିଲେ ପ୍ରକୃତରେ ବଡ଼ ବିସ୍ମିତ ହେବାକୁ ହୁଏ ।

 

ଆମେରିକାର ଆଲବାମା ରାଜ୍ୟରେ ୧୮୭୮ମସିହାରେ ଶ୍ରୀମତୀ ହେଲେନ କେଲର୍ ଜନ୍ମଗ୍ରହଣ କରିଥିଲେ । ଜନ୍ମ ହେବାର ଦୁଇବର୍ଷ ପରେ କୌଣସି ଅସାଧ୍ୟ ରୋଗର କବଳରେ ପଡ଼ି ତାଙ୍କର କର୍ଣ୍ଣ ଓ ଚକ୍ଷୁ ନଷ୍ଟ ହୋଇ ଯାଇଥିଲା । ତାହାର ଅଳ୍ପ କେତେଦିନ ପରେ ସେ କଥା କହିବା ଶକ୍ତି ମଧ୍ୟ ହରାଇ ବସିଲେ ।

 

ସାତବର୍ଷ ବୟସରେ ତାଙ୍କଲାଗି ଜଣେ ସ୍ୱତନ୍ତ୍ର ଶିକ୍ଷୟିତ୍ରୀ ଆସିଲେ । ତାଙ୍କର ନାମ ହେଉଛି ଆନି ସଲିଭାନ୍ । ହେଲେନ୍‌ଙ୍କ ପାଠ ପଢ଼ିବା ଲାଗି ଆନି ଏକ ସ୍ୱତନ୍ତ୍ର ବର୍ଣ୍ଣମାଳା ତିଆରି କଲେ ଓ ତାଙ୍କର ହାତ ପାପୁଲିରେ ସ୍ପର୍ଶ ସଙ୍କେତ ଦେଇ ତାଙ୍କୁ ବିଭିନ୍ନ ଶବ୍ଦର ଉଚ୍ଚାରଣ ଶିଖାଇବାକୁ ଆରମ୍ଭ କଲେ । ହେଲେନ୍ କ୍ରମେ ଶବ୍ଦଗୁଡ଼ିକ ଶିଖିନେଲେ ଏବଂ ଶବ୍ଦ ଯୋଗକରି ବାକ୍ୟଗଠନ କରିପାରିଲେ । ୧୮୯୦ ମସିହାରେ ନୁଉୟର୍କର ଜଣେ ବିଖ୍ୟାତ ଡାକ୍ତରଙ୍କ ଉଦ୍ୟମରେ ହେଲେନ୍ ବାକ୍‍ଶକ୍ତି ଫେରିପାଇଲେ । ଦଶବର୍ଷ ପରେ ବିଦ୍ୟାଳୟର ଶିକ୍ଷା ସମାପ୍ତ କରି ସେ କଲେଜରେ ନାମ ଲେଖାଇବାକୁ ଆସିଲେ ।

 

ଯାହାର ଆଖିଅଛି, ସେ ସିନା ବହିଦେଖି ପାଠ ପଢ଼ିପାରିବ, କଲମ ଧରି କାଗଜ ଉପରେ ଲେଖିପାରିବ । କିନ୍ତୁ ଆଖି ନଥିବା ଲୋକ ପୁଣି ପାଠ ପଢ଼ିବ କିପରି ? ସେ କିପରି କଲେଜର ଛାତ୍ର ହୋଇପାରିବ? ଆମେ ଆଖିଥିବା ଲୋକେ ଯେପରି ବହି ପଢ଼ୁ ଓ ଯେଉଁ ଅକ୍ଷର ପଢ଼ୁ, ସେପରି ବହି ବା ସେପରି ଅକ୍ଷର ଅନ୍ଧମାନଙ୍କର କୌଣସି ଉପକାର କରି ପାରିବ ନାହିଁ । ସେମାନଙ୍କର ପଢ଼ିବା ଲାଗି ଲାଗି ଅକ୍ଷର ଅଲଗା ପ୍ରକାରର ହେବା ଉଚିତ୍, ତେଣୁ ସେମାନଙ୍କର ବହି ମଧ୍ୟ ଅଲଗା ପ୍ରକାରର ।

Image

 

୧୮୨୯ ମସିହାରେ ଫ୍ରାନ୍‍ସର ଲୁଇବ୍ରେଲ ଅନ୍ଧମାନଙ୍କର ଶିକ୍ଷାଲାଭ ପାଇଁ ଏହି ସ୍ୱତନ୍ତ୍ର ଅକ୍ଷରର ଉଦ୍ଭାବନ କରିଥିଲେ । ବ୍ରେଲ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିଲେ । ଆପଣାର ପଢ଼ିଶିଖିଥିବା ପାଇଁ ସେ କୌଣସି ଏକ ନୂଆ ଉପାୟ ଖୋଜୁ ଖୋଜୁ ଏହି ନୂତନ ଅକ୍ଷର ବାହାର କଲେ । ବିଭିନ୍ନ ଅକ୍ଷର ଗୁଡ଼ିକର ସଙ୍କେତ ସ୍ୱରୂପ କାଗଜ ଉପରେ କେତେ ଗୁଡ଼ିଏ ଉଚ୍ଚ ବିନ୍ଦୁ ରହିଥିବ, ମୋଟା କାଗଜ ଉପରେ ଡାମ୍ଫଣରେ ଫୋଡ଼ି ଦେଲେ ତାହା ଠିକ୍‍ ଯେପରି ଉଚ୍ଚ ହୋଇ ଦେଖାଯାଏ । ବିଭିନ୍ନ ଅକ୍ଷରକୁ ବୁଝାଇବା ପାଇଁ ଏହି ବିନ୍ଦୁଗୁଡ଼ିକୁ ବିଭିନ୍ନ ଭାବରେ ସଜାଇ ରଖାଯାଇଥାଏ । ଅନ୍ଧମାନେ ଆଙ୍ଗୁଠିର ଟିପ ମାରି ସେହିସବୁ ଉଚ୍ଚ ବିନ୍ଦୁକୁ ଅନୁଭବ କରିପାରନ୍ତି ଓ ଅନୁଭବଦ୍ୱାରା ବିଭିନ୍ନ ଅକ୍ଷରର ଅନୁମାନ କରି ନିଅନ୍ତି । ବ୍ରେଲଙ୍କର ନାମ ଅନୁସାରେ ଅନ୍ଧମାନଙ୍କ ଲାଗି ରହିଥିବା ଏହି ସ୍ୱତନ୍ତ୍ର ଅକ୍ଷରମାଳାକୁ ବ୍ରେଲ ଅକ୍ଷରମାଳା କୁହାଯାଏ । ଏହି ଅକ୍ଷରମାଳା ସାହାଯ୍ୟରେ ଅନ୍ଧମାନଙ୍କ ପାଇଁ ଆଜିକାଲି ବଡ଼ ବଡ଼ ଗ୍ରନ୍ଥ ଲେଖାହେଲାଣି । ଶ୍ରୀମତୀ କେଲର୍‍ ଏହି ଅକ୍ଷର ସାହାଯ୍ୟରେ ପାଠ ପଢ଼ିଥିଲେ । ଏହିପରି ଭାବରେ ୧୯୦୪ ଖ୍ରୀଷ୍ଟାବ୍ଦରେ ସେ ବି. ଏ. ପାସ୍ କଲେ-

 

ଆମେ ସାଧାରଣତଃ ଦେଖିବାକୁ ପାଉ ଯେ ଅନ୍ଧମାନେ ଭଲ ଗୀତ ଗାଇପାରନ୍ତି ବା ଭଲ ଶୁଣିପାରନ୍ତି । କାଲମାନେ ଭଲ ଗନ୍ଧ ବାରିପାରନ୍ତି । ତାହାର ଅର୍ଥ ହେଉଛି, କୌଣସି କାରଣରୁ ଯାହାର ଗୋଟିଏ ଇନ୍ଦ୍ରିୟ ଶକ୍ତିରହିତ ହୋଇ ପଡ଼ିଥାଏ, ତାର ଅନ୍ୟାନ୍ୟ କାର୍ଯ୍ୟକାରୀ ଇନ୍ଦ୍ରିୟଗୁଡ଼ିକ ମଧ୍ୟ ସାଧାରଣତଃ ଅଧିକ ଶକ୍ତିଶାଳୀ ହୋଇଥାନ୍ତା । ହେଲେନ୍‌ଙ୍କ ଜୀବନରେ ମଧ୍ୟ ଆମେ ଠିକ୍ ସେହିକଥା ଦେଖିବାକୁ ପାଇବା । ତାଙ୍କର ସ୍ପର୍ଶଶକ୍ତି ଅତି ଅସାଧାରଣ ଥିଲା । ପତ୍ରଦେଇ ଆସୁଥିବା ପବନର କମ୍ପନ ଅନୁଭବ କରି ସେ ଗଛର ନାମ କହିଦେଇ ପାରୁଥିଲେ । ପାଦର ଗତିକୁ ଅନୁଭବ କରି ସେ ଯେକୌଣସି ଲୋକର ବୟସ କହି ଦେଉଥିଲେ ଓ ସେ ପୁରଷ କି ସ୍ତ୍ରୀ, ସେକଥା ଜାଣି ପାରୁଥିଲେ ।

 

ତାଙ୍କର ଘ୍ରାଣଶକ୍ତି ମଧ୍ୟ ସେହିପରି ଅତି ତୀକ୍ଷ୍‍ଣ ଥିଲା । ଗନ୍ଧ ବାରି ଦେଇ ସେ ଫଳ ଓ ଫୁଲକୁ ଚିହ୍ନି ପାରୁଥିଲେ, ଯେ କୌଣସି ପଦାର୍ଥର ଦୂରତା ଜାଣିପାରୁଥିଲେ । ଶ୍ରୀମତୀ ସଲିଭାନ୍‍ଙ୍କଠାରୁ ସେ ସ୍ପର୍ଶ ଓ ଘ୍ରାଣର ତାଲିମ ପାଇଥିଲେ । ଅତି ପିଲାଦିନେ ଶ୍ରୀମତୀ ସଲିଭାନ୍‍ ତାଙ୍କୁ ବଗିଚାକୁ ନେଇ ବିଭିନ୍ନ ଫଳ, ଫୁଲ, ଓ ପତ୍ର ସହିତ ପରିଚିତ କରାଇ ଦେଉଥିଲେ । ଆପଣାର ଘ୍ରାଣ ଓ ସ୍ପର୍ଶଶକ୍ତି ଦ୍ୱାରା ହେଲେନ୍‍ ଏଗୁଡ଼ିକୁ ମନେ ରଖୁଥିଲେ ।

 

ଦ୍ୱିତୀୟ ମହାସମର ପରେ ଶ୍ରୀମତୀ କେଲର୍ ଅନ୍ଧ ସୈନ୍ୟମାନଙ୍କର ସେବାରେ ଆପଣାକୁ ସମର୍ପଣ କରିଦେଇଥିଲେ । ତାଙ୍କର ସ୍ନେହପୂର୍ଣ୍ଣ ବ୍ୟବହାର ଓ ଆଦରଯତ୍ନ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲା । ବିଭିନ୍ନ ପତ୍ରିକାକୁ ସେ ପ୍ରବନ୍ଧମାନ ଲେଖି ପଠାଉଥିଲେ । ନାନା ସ୍ଥାନରେ ଓ ନାନା ଦେଶରେ ବକ୍ତୃତା ଦେବାଲାଗି ତାଙ୍କୁ ନିମନ୍ତ୍ରଣ ଆସୁଥିଲା । ଏଥିରୁ ସେ ଯେତେ ଅର୍ଥ ଉପାର୍ଜନ କରୁଥିଲେ, ତାହା ତାଙ୍କରି ନାମରେ ଗଠିତ ହୋଇଥିବା ଏକ ଦାତବ୍ୟ ପାଣ୍ଠିକୁ ଯାଉଥିଲା-। ଅନ୍ଧମାନଙ୍କର ସେବାରେ ସେହି ପାଣ୍ଠି ବ୍ୟୟିତ ହେଉଥିଲା ।

 

ଶ୍ରୀମତୀ କେଲର୍‍ ସମଗ୍ର ପୃଥିବୀକୁ ଆପଣାର କର୍ମକ୍ଷେତ୍ର ବୋଲି ମନେକରନ୍ତି । ପୃଥିବୀରେ ଯେଉଁଠି ଯେତେ ଅନ୍ଧ ଅଛନ୍ତି, ସମସ୍ତଙ୍କର ସେବା କରିବାକୁ ସେ ଜୀବନର ବ୍ରତ ବୋଲି ଗ୍ରହଣ କରିଛନ୍ତି । ତାଙ୍କର ଉଦ୍ୟମରେ ପୃଥିବୀର ବିଭିନ୍ନ ଦେଶରେ ଅନ୍ଧମାନଙ୍କ ଲାଗି ଅନେକ ବିଦ୍ୟାଳୟ, ଛାପାଖାନା ଓ କାରଖାନା ପ୍ରତିଷ୍ଠିତ ହୋଇଅଛି । ସେ ପୃଥିବୀର ଅନେକ ଦେଶ ଭ୍ରମଣ କରିଛନ୍ତି । କିଛି ବର୍ଷ ତଳେ ଭାରତ ସରକାରଙ୍କର ଅତିଥିରୂପେ ସେ ଆମ ଦେଶକୁ ଆସିଥିଲେ ।

 

ଶ୍ରୀମତୀ କେଲର୍‍ ବୃଦ୍ଧାବସ୍ଥାରେ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥାଇ ଆପଣାର ସେବାକାର୍ଯ୍ୟରେ ଲାଗିଥାନ୍ତି । ମହାନ୍‍ ବ୍ୟକ୍ତିମାନଙ୍କର ଜୀବନରେ ବିଶ୍ରାମର ସ୍ଥାନ କାହିଁ ? ଶ୍ରୀମତୀ କେଲର୍‍ ଅନେକ ଗ୍ରନ୍ଥ ରଚନା କରିଛନ୍ତି । ତାଙ୍କର ଆତ୍ମଜୀବନୀ ‘ମୋର ଜୀବନ’ ପୃଥିବୀର ବହୁ ଭାଷାକୁ ଅନୂଦିତ ହେଲାଣି । ପୃଥିବୀର ବହୁ ହତଭାଗ୍ୟ ଅନ୍ଧଙ୍କ ଲାଗି ଶ୍ରୀମତୀ କେଲର୍‍ଙ୍କର ଜୀବନ ଓ ସେବାବ୍ରତ ଅନେକ ପ୍ରେରଣା ଆଣି ଦେଇଛି ଓ ସେମାନଙ୍କର ପ୍ରାଣରେ ଅନେକ ଅଶାର ସଞ୍ଚାର କରିଛି ।

Image

 

ସେବାଗ୍ରାମ

 

Image

 

ସେବାଗ୍ରାମରେ ଗୋଟିଏ ଛୋଟ କୁଡ଼ିଆ ଘର ଅଛି, ବାହାରୁ ଦେଖିଲେ ତାହାକୁ ଆମ ଦେଶର ଯେକୌଣସି ଦରିଦ୍ର ଚାଷୀର କୁଡ଼ିଆ ପରି ମନେହେବ । କିନ୍ତୁ ଆଜି ଏହି କୁଡ଼ିଆ ଘରଟି ସମଗ୍ର ପୃଥିବୀର ଲୋକଙ୍କ ପାଇଁ ଗୋଟିଏ ତୀର୍ଥସ୍ଥାନରେ ପରିଣତ ହୋଇଛି । ପୃଥିବୀର ଯେଉଁଠାରୁ ଯେ ଭାରତବର୍ଷ ପରିଭ୍ରମଣରେ ଆସନ୍ତି, ସେବାଗ୍ରାମ ଯାଇ ଏହି କୁଡ଼ିଆଟି ଦର୍ଶନ କରି ଆସିଲେ ସେମାନେ ଆପଣାକୁ ଭାରି ଭାଗ୍ୟବାନ୍‌ ମନେ କରନ୍ତି ।

 

ମହାତ୍ମା ଗାନ୍ଧୀ ଏହି କୁଡ଼ିଆ ଘରେ ବାସ କରୁଥିଲେ । ଆପଣାର ପସନ୍ଦ ଅନୁସାରେ ସେ ଏହି ଘରଟିକୁ ତିଆରି କରିଥିଲେ । ବାହାରୁ ଦେଖିଲେ, ଏହି ଘରଟିର ମାଟିକାନ୍ଥ ଆଉ ଖପରଛାତ ବ୍ୟତୀତ ଆଉ କିଛି ଆଖିରେ ପଡ଼େ ନାହିଁ । ବର୍ଷାର ମାଡ଼ଖାଇ କାନ୍ଥରୁ କାଳେ ମାଟି ଧୋଇ ହୋଇଯିବ, ସେଥିଲାଗି ବର୍ଷାଋତୁରେ ଖଜୁରୀପତ୍ରର ଗୋଟିଏ ତାଟି କାନ୍ଥ ଉପରେ ଝୁଲାଇ ଦିଆଯାଇଥାଏ । ଚାଲ, ଆମେ କବାଟ ଫିଟାଇ ଘରଭିତରକୁ ଯିବା । କାନ୍ଥ ଓ ଘରର ଚଟାଣ ଏପରି ନିପୁଣ ଭାବରେ ଲିପା ହୋଇଛି ଯେ କେଉଁଠାରେ ଟିକିଏ ଖଣ୍ଡିଆ ଦାଗ ମଧ୍ୟ ଦେଖାଯାଉ ନାହିଁ । ଚାରିଆଡ଼ ଭାରି ପରିସ୍କାର ପରିଚ୍ଛନ୍ନ, ସବୁ ସ୍ଵଚ୍ଛ, ସବୁ ପବିତ୍ର ! ମହାତ୍ମା ଗାନ୍ଧୀ ଥିଲାବେଳେ ଏହି ଘରେ ଯେଉଁ ପଦାର୍ଥ ଯେପରି ଥିଲା, ବର୍ତ୍ତମାନ ଠିକ୍‍ ସେହିପରି ରଖା ଯାଇଛି । ଧୋବ ଫରଫର ବିଛଣା, ତା’ ସାଙ୍ଗକୁ ତକିଆଟିଏ, ଆଗରେ ଫୁଟେ ଉଚ୍ଚର ଡେସ୍କଟିଏ ପଡ଼ିଛି । ସେହି ଠାରେ ବସି ଗାନ୍ଧିଜୀ ଲେଖାପଢ଼ା କରୁଥିଲେ, ଅତିଥି ଓ ଆଗନ୍ତୁକମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ । କେତେ ଦେଶୀ ବିଦେଶୀ, ଲାଟ ବଡ଼ଲାଟ, ରାଷ୍ଟ୍ରପତି ଓ ମନ୍ତ୍ରୀ, ସହର ଓ ଗ୍ରାମର କେତେ ବଡ଼ଲୋକ ଓ ଦରିଦ୍ର ସେହିଠାରେ ଚଟେଇ ଉପରେ ବସି ଗାନ୍ଧିଜୀଙ୍କ ସହିତ କଥାବାର୍ତ୍ତା ନ ହୋଇଛନ୍ତି ! ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହୁରୁ ଆଉ ଗାଆଁର ଦରିଦ୍ର ଚାଷୀ ଉଭୟଙ୍କର ଚରଣ ବାଜି ସେହି ଚଟେଇ ଧନ୍ୟ ହୋଇଯାଇଛି ।

 

ସେହିଠାରେ ଗାନ୍ଧିଜୀଙ୍କର ଚରଖା ଆଉ ଚଷମା ଥୁଆ ହୋଇଛି । ଖଣ୍ଡେ ଦୂରକୁ କବାଟ ପାଖରେ ତାଙ୍କର କଠାଉ, ଓ ବାଡ଼ି ରହିଛି । ସେହି କଠାଉ ପିନ୍ଧି ଓ ସେହି ବାଡ଼ିଟି ଧରି ଗାନ୍ଧିଜୀ ପ୍ରତିଦିନ ପ୍ରାତଃଭ୍ରମଣରେ ଯାଉଥିଲେ । ଘର ପିଣ୍ଡାରେ ଖଣ୍ଡିଏ ଦଉଡ଼ିଆ ଖଟ ପଡ଼ିଛି,-ପ୍ରତିଦିନ ରାତିରେ ସେଇଟିକୁ ଦୁଆରେ ପକାଇ ସେ ଶୋଉଥିଲେ । ଖୋଲା ଆକାଶ ତଳେ ଶୋଇବାକୁ ଗାନ୍ଧିଜୀଙ୍କୁ ଭାରି ଭଲ ଲାଗୁଥିଲା ।

 

କାନ୍ଥରେ ହାତଲେଖା ନୀତି ବାକ୍ୟଟିଏ ଝୁଲୁଛି । ସେଥିରେ କୁହାଯାଇଛି–ଯେତେବେଳ ତୁମେ ଠିକ୍‍ କଥା କହୁଛ, ସେତେବେଳେ ତୁମର ରାଗିବାରେ କୌଣସି ଆବଶ୍ୟକତା ନାହିଁ । କିନ୍ତୁ ତୁମେ ଯଦି ଭୁଲ୍‍ କଥା କହୁଥାଅ, ତେବେ ରାଗିବାର କୌଣସି ଅଧିକାର ତୁମର ନାହିଁ-। ଅର୍ଥାତ୍‍ କୌଣସି ଅବସ୍ଥାରେ ବା କୌଣସି ସମୟରେ ମଧ୍ୟ ରାଗିବା ଉଚିତ ନୁହେଁ ।

 

ଗାନ୍ଧିଜୀଙ୍କର କୁଟୀର ଚାରିପାଖରେ ଥିବା ବିଚିତ୍ର ବଗିଚାଟି ମଧ୍ୟ ଠିକ୍ ଗାନ୍ଧିଜୀଙ୍କପରି ଦୃଷ୍ଟି ଆକର୍ଷଣ କରେ । ବଗିଚାରେ ମାତ୍ର ଛଅଟି ଗଛ; ଆମ୍ବ, ବଉଳ, ନିମ୍ବ, ଆଛୁ, ଗଙ୍ଗଶିଉଳି ଆଉ ଅଶ୍ୱତ୍‌ଥ,–ପ୍ରତ୍ୟେକରୁ ଗୋଟିଏ ଗୋଟିଏ । ଏଗୁଡ଼ିକୁ ଗାନ୍ଧିଜୀ ଆପାଣା ହାତରେ ରୋପଣ କରିଅଛନ୍ତି । ପ୍ରତି ସପ୍ତାହରେ ଶୁକ୍ରବାର ଦିନ ସନ୍ଧ୍ୟାରେ କୁଡ଼ିଆରେ ହତା ବାହାରେ ଥିବା ଅଗଣାରେ ପ୍ରାର୍ଥନା ହୁଏ । ଗାନ୍ଧିଜୀ ଥିଲାବେଳ ପ୍ରାର୍ଥନା ସମୟରେ ଯେଉଁଠାରେ ବସୁଥିଲେ, ସେହିଠାରେ ତାଙ୍କର ପୁରୁଣା ଆସନଟି ବିଛାଇ ଦିଆଯାଏ । ସେହି ଆସନ ଉପରେ ସତେଅବା ଏବେ ମଧ୍ୟ ଗାନ୍ଧିଜୀ ପ୍ରାର୍ଥନାରେ ବସିଛନ୍ତି, ପ୍ରାର୍ଥନା କରୁଥିବା ଲୋକମାନେ ଆପଣା ହୃଦୟରେ ସେହିପରି ଅନୁଭବ କରନ୍ତି।

 

ଗମ୍ଭୀର ହୋଇ ଘରଭିତରୁ ବାହାରି ଆସିବାବେଳେ ମନେହୁଏ, ଇଛା କରିଥିଲେ ଗାନ୍ଧିଜୀ କେଡ଼େବଡ଼ ପ୍ରାସାଦରେ ରହିପାରି ନ ଥାନ୍ତେ ! କିନ୍ତୁ ଏହି କୁଡ଼ୁଆଟିକୁ ହିଁ ସେ ଆପଣାର ପବିତ୍ର ବାସସ୍ଥାନ ରୂପେ ମନୋନୀତ କରିଥିଲେ ।

Image

 

ନିର୍ଭୟତା

 

ସ୍କୁଲରୁ ଛୁଟିହୋଇ ଘରକୁ ଆସିବାବେଳେ ଯେଉଁଠାରେ ରାସ୍ତାଟା କଣେଇହୋଇ ଯାଇଛି, ସେଠାରେ ଠିକ୍‍ କଣ ମୁଣ୍ଡରେ ଗୋଟାଏ ଝଙ୍କାଳିଆ ବାଉଁଶଗଛ ଅଛି । ସେହିଠାରେ ପ୍ରଦୀପ୍ତକୁ ଭାରି ଡରମାଡ଼େ । ଏକା ହେଉ ବା ସାଙ୍ଗସାଥିରେ ହେଉ, ସେବାଟରେ ପାଦ ଦେବାମାତ୍ରକେ ତା’ର ଦେହ ଶୀତେଇ ଉଠେ । ଚୁପ୍‍ କରି ତଳକୁ ଅନାଇ ଅନାଇ ସେ ବାଟ ଚାଲିଆସେ, ଗଛଟା ପାରିହୋଇ ଯିବାପରେ ନିଶ୍ୱାସ ମାରେ । ସେହି ବାଉଁଶ ଗଛଟା ବିଷୟରେ ସେ ମାଆଠାରୁ କେତେ ଗପ ଶୁଣିଛି । ରାତିରେ ପାଠ ପଢ଼ୁଥିବାବେଳେ ହଠାତ୍‍ ଯଦି ସେହି କଥାଟା ମନେ ପଡ଼ିଗଲା, ତେବେ ପ୍ରଦୀପ୍ତ ଆଉ ପାଠ ପଢ଼ିପାରେ ନାହିଁ । ସେ ଗୋଟାସୁଦ୍ଧା ବାଉଁଶଗଛ କେବଳ ତା’ର ଶରୀରଟା ଯାହା ଖଟ ଉପରେ ବହି ପାଖରେ ବସିଥାଏ । ଚାଲିଯାଏ ସେଠାକୁ ଯାଇ ସେ ଦେଖେ, ଯେପରି ପ୍ରବଳ ତୋଫାନରେ ଗଛଟାଯାକ ଭାଙ୍ଗିପଡ଼ୁଛି । ତା’ର କଳ୍ପନା ଭିତରେ ଥିବା ସବୁ ଭୂତ ଆଉ ସଇତାନଯାକ ସେଠାରେ ରୁଣ୍ଡ ହୋଇଛନ୍ତି। କିଏ ତାଡ଼କା ପରି ଦେଖାଯାଉଛି ତ କିଏ ମାରୀଚ ପରି ଦେଖାଯାଉଛି । ପ୍ରଦୀପ୍ତର ଆଖି ବୁଜି ହୋଇଯାଏ । ସେ ଏକାଡ଼ିଆଁକେ ପୁଣି ତା’ର ଶରୀର ଭିତରକୁ ଫେରିଆସେ ।

 

ସେହିପରି ଆଉଗୋଟିଏ ଜାଗା ହେଉଛି ତାଙ୍କ ଗାଆଁର ନଈକୂଳରେ ଥିବା କୋଚିଳା ଗଛଟା । ପିଲାଦିନରୁ ପ୍ରଦୀପ୍ତ କୋଚିଳାଗଛ ବିଷୟରେ ସବୁ କାହାଣୀ ସଂଗ୍ରହ କରି ରଖିଛି । ସେଠାରେ ନଈ ଭିତରେ ଯେଉଁ ଗଣ୍ଡ, ସେଥିରେ ଅକାତକାତ ପାଣି, ଥରେ ତାହା ଭିତରେ ପଡ଼ିଗଲେ ଆଉ ବାହାରିବା ଅସମ୍ଭବ । କୂଳରେ ଥିବା କୋଚିଳା ଗଛରେ ଗୋଟାଏ କିଏ ଅଛି ଯେ ସେ ମଣିଷକୁ ଗଣ୍ଡରେ ମାଡ଼ିଦିଏ । ଏହି ବିପଦକଥା କହି ମାଆମାନେ ଅନେକ ଦୁଷ୍ଟ ପିଲାଙ୍କୁ ନଦୀକୁ ଗାଧେଇବାକୁ ଛାଡ଼ନ୍ତି ନାହିଁ । ପ୍ରଦୀପ୍ତ ଅବଶ୍ୟ ନଦୀକୁ ଗାଧୋଇବାକୁ ଯାଏ, କିନ୍ତୁ ସେହି ଗଣ୍ଡରେ ପଡ଼ିଯିବା ଭୟରେ ସେ କେବେହେଲେ ପହଁରେ ନାହିଁ । କେତେବେଳେ ଯେ କ’ଣ ହୋଇଯିବ, ସେକଥା କିଏ କହିପାରିବ ?

 

ଏହିସବୁ ଡରକଥା କହିବସିଲେ ରାତି ପାହିଯିବ । ବୁଢ଼ୀ ଅସୁରୁଣୀ ଗପଠାରୁ ଆରମ୍ଭ କରି ଗହୀର ବିଲରେ ଜହ୍ନ ରାତିରେ ବାଗୁଡ଼ି ଖେଳୁଥିବା ସଇତାନମାନଙ୍କର ଗପ ଆମେ ସମସ୍ତେ ଶୁଣିଥିବା । କେଉଁଠି ପୋଖରୀ ହୁଡ଼ାରେ ଗୋଟାଏ ଗୋଟିକିଆ ବରଗଛ ଥିବା ତ ସେଠାରେ ନିଶ୍ଚୟ ଗୋଟାଏ ବ୍ରହ୍ମରାକ୍ଷସ ବସାକରି ରହିଥିବ । କେଉଁଠି ଜୋର କୂଳରେ କିଆବୁଦା ଧାଡ଼ିଏ ଥିବ ତ ସେଠାରେ ଭୂତମାନେ ରାତିରେ ବାଟୋଇମାନଙ୍କର ବାଟ ନିଶ୍ଚୟ ଜଗୁଥିବେ । ଆଉ ଗାଆଁ ମଶାଣି କଥା ଛାଡ଼ିଦିଅ । ସେଇଟା ତ ଡାଆଣୀ ଆଉ ଚିରୁଗୁଣୀମାନଙ୍କର ରୋଷେଇଶାଳ । ଦରପୋଡ଼ା ମାଉଁସ ଆଉ ହାଡ଼କୁ କୁଆଡ଼େ ସେମାନେ କଡ଼ମଡ଼ କରି ଖାଉଥାନ୍ତି । କେଉଁ ପିଲା କାନ୍ଦେ ଆଉ କେଉଁ ପିଲା ଦୁଷ୍ଟାମି କରେ ତ ମାଆ ତାକୁ ବାଇଆର ନାଆଁ କହି ସୁନାପୁଅ କରିଦିଅନ୍ତି-

 

ଆମେ ଏହିପରି ଭାବରେ ଡରିବାକୁ ଆରମ୍ଭ କରୁ । ଏକୁଟିଆ ଗଲାବେଳକୁ ଆମର ଖାଲି ଭୂତ କଥା ମନେପଡ଼େ । ଅନ୍ଧାର ଘରକୁ ଯିବାକୁ ଆମର ଆଦୌ ସାହସ ହୁଏନାହିଁ । ସାଙ୍ଗରେ କେହି ନ ଶୋଇଲେ ଆମକୁ ନିଦ ହୁଏ ନାହିଁ । ରାତିରେ କେତେ ପ୍ରକାରର ସ୍ୱପ୍ନ ଦେଖି ଆମେ ଚମକିଉଠୁ ।

 

Image

 

ଏହିସବୁତ ହେଉଛି କଳ୍ପନା ଭିତରର ଭୟ । କିନ୍ତୁ କଳ୍ପନା ଭିତରେ ଭୟ କରୁ କରୁ ଧୀରେ ଧୀରେ ଆମେ ସତ ମଣିଷକୁ ଭୟ କରି ଶିଖୁ । ଆମର ବାପାମାଆଙ୍କୁ ଭୟ କରୁ, ଆମଠାରୁ ଅଧିକ ବଳୁଆ ସାଙ୍ଗସାଥିମାନଙ୍କୁ ଭୟ କରୁ, ଶେଷକୁ ଆମଠାରୁ ବୟସରେ ଅଧିକ ଓ ଆମର ଅପରିଚିତ ଆମେ ସମସ୍ତଙ୍କୁ ଭୟ କରିବାକୁ ଆରମ୍ଭ କରୁ । ପାଠ ପଢ଼ିବା ଆରମ୍ଭ ହୋଇଗଲେ ଆମେ ଆମଠାରୁ ଅଧିକ ପାଠୁଆ ଆମର ଶିକ୍ଷକଙ୍କୁ ଭୟ କରୁ । ତାଙ୍କରି ମଧ୍ୟଦେଇ ପାଠପ୍ରତି ମଧ୍ୟ ଆମର ଭାରି ଭୟ ଆସିଯାଏ, ପରୀକ୍ଷାକୁ ଭୟ ଲାଗେ ଓ ପରୀକ୍ଷା ଶେଷ ହେବା ମାତ୍ରକେ ଆମେ ପଢ଼ିଥିବା ପାଠକୁ ଭୁଲିପକାଉ । କେବେ କୌଣସି ଭୁଲ୍‍ କାମ କରିପକାଇଲେ ଧରାପଡ଼ିଯିବା ଭୟରେ ଆମେ କେତେ ପ୍ରକାରର ମିଛ କଥା କହି ଶିଖୁ, ଅନ୍ୟର ମୁଣ୍ଡରେ ଦୋଷଟାକୁ ଲଦିଦେଇ ଆମେ ଲୁଚି ପଳାଉ । ସାହସର ସହିତ ନିଜେ କରିଥିବା ଭୁଲ୍‍କୁ ସ୍ୱୀକାର କରିବା ଓ ତାହାର ସଂଶୋଧନ କରିବା ଆମ ପକ୍ଷରେ ଆଉ ସମ୍ଭଵ ହୋଇପାରେ ନାହିଁ ।

 

ଯାହା ଭିତରେ ଭୟର ମଞ୍ଜି ପୋତାହୋଇ ରହିଛି, ତାକୁ ସଂସାରଯାକ ସମସ୍ତେ ଭୟ ଦେଖାଇବାକୁ ଆସନ୍ତି । ଆଗୁଆ ହୋଇ ସେ କୌଣସି କାମ କରିପାରେ ନାହିଁ । ଆପଣ ଉପରେ ତା’ର ଆଦୌ ବିଶ୍ୱାସ ନ ଥାଏ । ସେଥିପାଇଁ ସେ କୌଣସି କାମରୁ ସନ୍ତୋଷଲାଭ କରିପାରେ ନାହିଁ-

 

ଡରିବା ହେଉଛି ଛାତ୍ରଜୀବନର ମହାପାପ, ନିର୍ଭୟତା ସବୁଠାରୁ ବଡ଼ ଗୁଣ । ପିଲାଟିଦିନରୁ ଯିଏ ନିର୍ଭୟ ହେବାକୁ ଶିଖେ, ସେ ସବୁବେଳେ ଆଗେଇବାରେ ଲାଗିଥାଏ । ସେ ଖୁସିହୋଇ ନୂଆ ନୂଆ କଥା ଶିଖେ, ନୂଆ ନୂଆ ମଣିଷଙ୍କ ସହିତ ପରିଚିତ ହୁଏ । ଶିକ୍ଷକଙ୍କଠାରୁ ସେ ଅନେକ ପାଠ ଓ ଅନେକ ଶିକ୍ଷା ଆଦାୟ କରେ । ଭୟାଳୁ ପିଲା ବାଟରେ ପଥର ନ ଥିଲେ ଝୁଣ୍ଟେ, କବାଟ ଖୋଲା ଥିଲେ ମଧ୍ୟ ସେ ଘର ଭିତରେ ଲୁଚି ରହିଥାଏ । ନିର୍ଭୟ ପିଲା ହିଁ ବଡ଼ ହୋଇ ସଂସାରରେ ବଡ଼ ମଣିଷ ହୁଏ, ସଂସାରରେ ସେ ଅନେକ ଗୁଣ ଅର୍ଜନ କରେ, ସଂସାରର ଅନେକ ଉପକାର କରେ । ନିର୍ଭୟ ପିଲା ତା’ର ବାପମାଆଙ୍କୁ ଭଲ ପାଏ, ସାଙ୍ଗସାଥୀଙ୍କୁ ଭଲପାଏ, ଶିକ୍ଷକଙ୍କୁ ଭଲ ପାଏ ଓ ତେଣୁ ତା’ର ପାଠକୁ ଭଲପାଏ । ସଂସାରରେ ସମସ୍ତେ ନିର୍ଭୟ ପିଲାକୁ ହିଁ ଭଲ ପାଆନ୍ତି ।

Image